"ଝୁଡ଼ଙ୍ଗ" (ଅନୁଶୀର୍ଷକ ରେ ପଢ଼ନ୍ତୁ ସମ୍ପୂର୍ଣ କାହାଣୀ) ଆଜି ସନ୍ଧ୍ୟା ରେ ଟିଉସନ୍ ଟିକେ ଜଲଦି ସରିଗଲା। ଗୁରୁମା ତାଙ୍କ ଜନ୍ମାଷ୍ଟମୀ ଓଷା ପାଇଁ ଶୀଘ୍ର ଛୁଟି କରି ଦେଲେ। ତାପରେ ମୋ ଖୁସି ତ କହିଲେ ନ ସରେ। ଘରେ ବହି ବସ୍ତାନି ଫୋପାଡି ଦେଇକି ସାଇକେଲ ଧରି ବାହାରିଲି ଗାଁ ବଜାରକୁ। ବୋଉ କୁ କହିଲି ବୋଉ ଲୋ ୫୦ ଟଙ୍କା ଦେ ନା କଣ ଖାଇବି କିଣିକି। ବୋଉ ତା କାନିର ଗଣ୍ଠି ଫିଟେଇ ଦେଖିଲା ୨୦ ଟଙ୍କା ଥିଲା। ତା ପରେ ଦଉଡ଼ି ଗଲା ରୋଷେଇ ଘର ଆଡ଼କୁ। ସେଠୁ କୋଉ ଡବା ଗୋଟେ ଅଣ୍ଡାଳିକି ଆଉ ୨୦ ଟଙ୍କା ଖୁଚୁରା ଆଣିକି ଦେଲା। ମତେ କହିଲା ଏତିକି ଅଛି ଯା ସେଇ ଥିରେ କଣ କିଣିକି ଖାଇ ଦବୁ। ହାଫ୍ ପ୍ୟାଣ୍ଟ୍ ରେ ମୋର ଚେନ୍ ଦିଆ ପକେଟ୍। ସେଇଥିରେ ୪୦ ଟଙ୍କା ପୁରେଇକି ଚେନ୍ ଦେଇକି ପୁରା ରେଡ଼ି। ବୋଉ କହିଲା ଧନ ରେ ପଇସା କୋଉଠି ଖସି ପଡ଼ିବ ଦେଖିକି ଆଇତି କରିକି ରଖେ। ବୋଉ ଏତିକି କହିଲା ବେଳକୁ ମୁଁ କଣ ଆଉ ଶୁଣେ, ପ୍ୟାଡେଲ ମାରି ରକେଟ ବେଗ ରେ ଚାଲିଲି ମାର୍କେଟ। ଆମ ଗାଁ ବଜାର ଏବେ ଆଉ ଆଗ ଭଳିଆ ନାହିଁ। ଆଗରୁ ସଞ୍ଜ ବେଳେ ୫ ଟଙ୍କା ର ଡାଲି ବରା ଆଉ ଆଳୁ କଷା ଖାଇଦେଲେ ରାତି ଯାଏ ଜମା ଭୋକ ଲାଗେନି। ଏବେ ବଜାର ପୁରା ଝିଲ୍ ମିଲ୍। ସବୁ ଆଡ଼େ ବଡ଼ ବଡ଼ ଲାଇଟ୍। ଗୁପଚୁପ, ଚାଟ୍, ଚାଓମିନ୍, ଚିଲି, ମୋମୋ, ସବୁ ପ୍ରକାର ଦୋକାନ ଖୋଲି ଗଲାଣି। ଆଉ ସେଇ ସବୁ ଦୋକାନ ରେ ନାହିଁ ନ ଥିବା ଭିଡ଼। ଆଗ ଭଳିଆ ସେ ଲଣ୍ଠନ ଲଗା ତେଲ ଭାଜି ଦୋକାନ ର ଚାହିଦା ଆଉ ନାହିଁ। ବରା , ପକୁଡ଼ି, ପିଆଜି, ବାଇଗଣି, ଆଳୁଚପ୍ ସେଇ ସବୁ ମୋର ଭାରି ପସନ୍ଦ। ସବୁ ଆଡ଼େ ବୁଲି ବୁଲି ଭାଗି ଜେଜେ ବରା ଦୋକାନ ରେ ପହଞ୍ଚିଲି। ପୁରା ମାର୍କେଟ ରେ ତାରି ଦୋକାନ ବୋଧେ ଏକମାତ୍ର ଚାଳ ଛପର ଦୋକାନ। ୧୦୦ ପାୱାର ର ସେଇ ପୁରୁଣା ବଲବ୍ ଗୋଟେ ଲଗେଇକି ମୁଣ୍ଡରେ ଗାମୁଛା ଖଣ୍ଡେ ପକେଇକି ବୁଢ଼ା ବସି ଥାଏ। ପହଞ୍ଚି ଗଲି ସେଠି। ଯେତେ ଫାଷ୍ଟ ଫୁଡ୍ ଆସିଲେ ବି ମୋର ତ ସେଇ ବରା ଆଉ ଆଳୁ କଷା। ତା ଛଡ଼ା ବୋଉ ବି କହିଥାଏ, ଦୁଃଖ ତୁ ଆମର ଜମା ଇଆଡୁ ସିଆଡୁ ଫାଷ୍ଟ ଫୁଡ୍ ଖାଇବୁନି। ସେଗୁଡା ଦେହ ପାଇଁ ଜମା ଭଲ ନୁହେଁ। ଆଉ ବୋଉ କଥା ହେଲା ମୋର ବେଦର ଗାର। ମଉସା ଦୋକାନ ରେ ୧୦ ଟଙ୍କା ର ବରା ଆଉ ଆଳୁ କଷା ଖାଇଲି। ୧୦ ଟଙ୍କା ରେ ୭ ଟା ବରା ଆଉ ୩ ଟଙ୍କା ର କଷା। ସେତିକି ଖାଇକି ପେଟେ ପାଣି ପିଇ ଦେଲେ ସେ ଯୋଉ ଆନନ୍ଦ ତା ଆଗରେ ମୋମୋ ବି ଫେଲ୍। ଖାଇ ସାରି ବଜାର ରେ ବୁଲୁ ବୁଲୁ ହଠାତ୍ ଆଖି ପଡ଼ିଲା ପରିବା ଦୋକାନ ଉପରେ। କେଜାଣି ମନକୁ କଣ ଗୋଟେ ଆସିଲା ଭାବିଲି ଆଜି ପରିବା କିଛି ଗୋଟେ ନେଇକି ଯିବି ଯେମିତି ବୋଉ ଦେଖିକି ଭାରି ଖୁସି ହେବା। ପକେଟ୍ ରେ ହାତ ମାରିଲା ବେଳକୁ ୩୦ ଟଙ୍କା ଖୁଚୁରା ଛମ୍ ଛମ୍ କରୁ ଥାଏ। ଚାଲିଲି ପରିବା ଦୋକାନ ଆଡ଼େ। ସେଠି ଯାଇକି ମୋ ବୁଦ୍ଧି ପୁରା ଗୁଡୁମ୍। ପଳେଇ ତ ଆସିଲି ଏବେ ନେବି କଣ? ଗାଜର, କୋବି, ବିମ୍, ପୋଟଳ, ବାଇଗଣ, କଲରା, କାକୁଡ଼ି, ଟମାଟୋ, ଭେଣ୍ଡି, ହେ ପ୍ରଭୁ। ଏତେ ପରିବା ଏକ ସାଙ୍ଗରେ ଦେଖିବି ଭାବିଲି ନା ମୋ ଦ୍ଵାରା ହବନି, ଯାଉଛି ଘରକୁ ପଳେଇଯିବି। ତା ପରେ ଭାବିଲି ୩୦ ଟଙ୍କା ବଞ୍ଚେଇଛି ମାନେ କିଛି ତ ନେଇକି ଯିବି। ବୋଉ ଯେମିତି କହିବ ଯାହା ହଉ ମୋ ପୁଅ ଆଜି ପରିବା ଆଣିଛି। ତା ପରେ ସେଠି ଠିଆ ହେଇକି ମୁଣ୍ଡ ଖେଳେଇଲି। ଦେଖିଲି ଅଧିକାଂଶ ପରିବା ଆମ ବାଡି ରେ ଫଳୁଛି। ଯୋଉଟା ବାଡି ରେ ହଉନି ସେଇଟା ନେବି ଆଉ। ବହୁତ୍ ଭାବି ଚିନ୍ତି ହାତ ଠାରିକି ପଚାରିଲି , 'ମଉସା ସେ ବିମ୍ କିଲୋ କେତେ?' ମଉସା ମୋ ମୁହଁ କୁ ଆଶ୍ଚର୍ଯ୍ୟ ହେଇ ଚାହିଁଲେ ଆଉ ଟିକେ ମୁରୁକି ହସିଲେ। ମୁଁ ଭାବିଲି ମୁଁ ପିଲା ଲୋକ ପରିବା ନବାକୁ ଆସିଛି ବୋଲି ମଉସା ହସୁଛନ୍ତି। ମଉସା କହିଲେ କିଲୋ ୩୦ ଟଙ୍କା। ଆଉ କିଲୋ ୩୦ ଶୁଣିକି ମୁଁ ପୁରା ଖୁସ୍ କାହିଁକି ନା ମୋ ପାଖରେ ବି ୩୦ ଟଙ୍କା ହିଁ ଥିଲା। ମୁଁ ସାଙ୍ଗେ ସାଙ୍ଗେ ପଇସା ବଢ଼େଇ ଦେଇ କି ମଉସା ଙ୍କୁ କହିଲି ହଉ ମଉସା କିଲେ ଦେଇ ଦିଅ। ମଉସା ବି ସାଙ୍ଗେ ସଙ୍ଗେ କୁଟା ଖଣ୍ଡେ ରେ ବିଡ଼େ ବାନ୍ଧିକି ମୋତେ ଧରେଇ ଦେଲେ। ମୁଁ ତାକୁ ମୋ ସାଇକେଲ କ୍ୟାରିୟର ରେ ରଖି ଦେଇ ଚାଲିଲି ଘରକୁ । ଘରେ ପହଞ୍ଚିଲା ବେଳକୁ ଗାଁ ରେ ଲାଇନ ନ ଥାଏ। ବୋଉ ଦାଣ୍ଡ ପିଣ୍ଡା ରେ ବସିକି ବିଞ୍ଚଣା ଗୋଟେ ଧରି କି ବିଞ୍ଚି ହଉ ଥାଏ। ମୁଁ ସାଇକେଲ ରେ ଘଣ୍ଟି ମାରି ମାରି ପହଞ୍ଚିଲି। ସାଇକେଲ ରଖୁ ରଖୁ ବୋଉ ପଚାରିଲା , "ଦୁଃଖନ କଣ ଖାଇଲୁ ଆରେ?" ମୁଁ କହିଲି , "ସେଇ ବରା ଆଳୁ କଷା ଲୋ ବୋଉ। " ତା ପରେ ବୋଉ ପଚାରିଲା , "ଆଉ ମୋ ପାଇଁ କଣ ଆଣିଛୁ?" ଏକଥା ଶୁଣି ହଠାତ୍ ମୋ ମୁଣ୍ଡ ରେ ବୁଦ୍ଧି ପଶିଲା। "ଆରେ ସତେ ତ, ମୁଁ ତ ନିଜେ ଖାଇ ଦେଲି ହେଲେ ବୋଉ ପାଇଁ ତ କିଛି ଆଣିନି।" କଣ ଗୋଟେ ପରିବା ଆଣିବା କଥା ମୋ ମୁଣ୍ଡ ରେ ପଶିଲା ଯେ ମୁଁ ବୋଉ ଖାଇବା କଥା ପୁରାପୁରି ଭୁଲି ଯାଇଛି। ବୋଉ ପୁଣି ପଚାରିଲା , " ଆରେ କିଛି କହୁନୁ ଯେ କୁଆଡେ଼ ହଜିଗଲୁ ବାପା।" ମୁଁ କହିଲି, "ବବୁ ଲୋ ଆଜି ପରିବା ଆଣିବି ଭାବିକି ବିମ୍ କିଲେ ନେଇ ଆସିଲି ଆଉ ତୋ ପାଇଁ ଖାଇବାକୁ ଆଣିବାକୁ ଜମା ମନେନାହିଁ। " କଣ ହେଲା ଗୋଟେ କିଲୋ ବିମ୍... ଏତେ ପଇସା ଆଣିଲୁ କୋଉଠୁ?" , ବୋଉ ପୁରା ଆଶ୍ଚର୍ଯ୍ୟ ହେଇକି ମୋତେ ପଚାରିଲା। ମୁଁ କିଛି ନ ବୁଝି ପାରି ଚାତକ ଭଳିଆ ବୋଉ କୁ ଅନେଇ ଥାଏ। "ଆରେ ଗଲା ସପ୍ତାହ ତୋ ବାପା ପାଏ ବିମ୍ କୁ ୨୫ ଟଙ୍କା ଦେଇକି ଆଣିଥିଲେ ଆଉ ତୁ ଗୋଟେ କିଲୋ କେମିତି ନେଇ ଆସିଲୁ?ଆରେ ଶୁଣୁଛ କୁଆଡେ଼ ଗଲ ତମେ? କାହା ଠାରୁ ବିମ୍ ଆଣି ଥିଲ ତମେ , ଦୋକାନୀ ତମକୁ ଠକି ଦେଲା କି ଆଉ?" , ଏତିକି କହି କହି ବୋଉ ଘର ଭିତରକୁ ଚାଲି ଗଲା ଆଉ ମୁଁ ସେଇ ବିମ୍ ବିଡ଼ା ଧରିକି ବୋଉ ପଛେ ପଛେ ଚାଲିଲି ଆଉ ସେତିକି ବେଳେ ଲାଇନ ଆସି ଯାଇ ଥିଲା।