ବାଃ ରେ ସ୍ବାଧିନତା... ।।କାହାଣୀ।। ଆମେ ଭାରତୀୟ ମାନେ ଯାହା କୁହ ପର୍ବ ପାଳନ କରିବାରେ ମାହୀର। ଜନ ପର୍ବ ହେଉ, ଦେବ ପର୍ବ ହେଉ ଅବା ହେଉ ରାଜ ପର୍ବ। ସେ ସମୟରେ କୌଣସି ମହାମାରୀ ଆମର କିଛି ଉପାଡି ପାରିବ ନାହିଁ। ଏ ବର୍ଷ ସ୍ୱାଧୀନତା ଦିବସ ପାଳନର ମଉଜ ନଥାଏ। କାରଣ ହେଲା ଏଇ ଚାଇନାର କରୁଣା। ସେଥିପାଇଁ tv ରେ ସମାଚାର ରେ କହୁଥାଏ ଏ ବର୍ଷ ପ୍ୟାରେଡ୍ ହେବନି। ସ୍କୁଲରେ ଖାଲି ମାଷ୍ଟ୍ରେ ମାଷ୍ଟରାଣୀ ମାନେ ପତାକା ଭିଡ଼ିବେ। ଯାହା କୁହ ଅଲଗା ଦିନ କଥା ଅଲଗା କିନ୍ତୁ ଏଇ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ରେ ପିଲାମାନେ ଯଦି ସେଉ ବୁନ୍ଦିଆ ନ ଖାଇବେ ତାହେଲେ ତାଙ୍କ ମନ ଭାରି ଦୁଃଖ ହବ। ହଉ ଛାଡ଼ ଆମର ପତାକା କିନ୍ତୁ ଭିଡ଼ା ହବ ଗାଁ ମୁଣ୍ଡ ପଞ୍ଚାୟତ ଅଫିସ୍ ଆଗରେ ସରପଞ୍ଚଙ୍କ ଦ୍ୱାରା। ସେହି ଦିନ ସକାଳୁ ସକାଳୁ ଉଠି, ଗାଧେଇ ସାରି, ଧଳା ସାର୍ଟ ଖୋଜିବାରେ ଲାଗିଲି। ଭାରି ବିରକ୍ତି ମନରେ ଖୋଜିଲା ପରେ ପାଇଲି ହେଲେ ଆଇରନ ହେଇନଥଲା। ମନ ପୁରା ପିତା ହେଇଗଲା। କଣ କରିବି ଆଉ... ତରତର ରେ ସେ ସାର୍ଟ କୁ ଆଇରନ କରି ପିନ୍ଧିଦେଲି। ଗଲାବର୍ଷର ତ୍ରିରଙ୍ଗା ପ୍ରିଣ୍ଟ ହେଇଥିବା ବ୍ୟାଚ କୁ ଛାତି ପକେଟରେ ଲଗେଇ ବାହାରିଲା ବେଳେ ବୋଉ କହିଲା ଆଜି କଣ ଅଗଷ୍ଟ ୧୫ ! ଆଉ ମୁଁ ହୁଁ ଟାଏ ମାରିଲି। ବୋଉର ପ୍ରତି ଉତ୍ତର ରେ ପ୍ରଶ୍ନ ଟିଏ ଥିଲା, କିଏ ଆଉ ଜାଣୁଛି ? ଛୁଆ ସିନା ଦାଣ୍ଡରେ ଗୀତ ଗାଇ ଗାଇ ଯାଉଥିଲେ ବୋଲି ଜଣାପଡୁଥିଲା। ଆଉ ଏବେ କିଏ ଜାଣିବ ? ମୁଁ କିଛି ନ କହି ଘରୁ ଚୁପ୍ ଚାପ୍ ବହାରିଗଲି। ପଞ୍ଚାୟତ ଅଫିସ୍ ଆଗରେ କିଛି କର୍ମୀ ଠିଆ ହେଇଥାନ୍ତି। ଗାଁ ର କିଛି ଲୋକ ମଧ୍ୟ। ୱାର୍ଡମେମ୍ବର, ନାଏବ ସରପଞ୍ଚ, କିଛି କୁଜି ନେତା ସରପଞ୍ଚଙ୍କ ସହ ଦୁଃଖ ସୁଖରେ ବ୍ୟସ୍ତ ଥାଆନ୍ତି। ଆଉ ସରପଞ୍ଚ ଆଜ୍ଞା ଚେୟାର ଉପରେ ବସି ତାଙ୍କ କଥା ସବୁ ଶୁଣୁଥାନ୍ତି... ମୋବାଇଲକୁ କେଞ୍ଚୁ ଥାଆନ୍ତି।